-: ଜୈବିକ ପାକଶାଳା :-

ଲୋକ ମାନଙ୍କର ପ୍ରାୟ ଶାଗ ପଟାଳି ବା ପିଆଜ ପଟାଳି ସାଙ୍ଗରେ ଜଣା ଶୁଣା, କିନ୍ତୁ ସବୁ ପରିବା ପାକଶାଳା ପଟାଳିରେ ଲଗାଯାଇପାରିବ, ଏହା ତାଙ୍କୁ ଜଣା ନ ଥାଏ । ଏ କଥାଟା ଶିଖିଲା ପରେ ସମସ୍ତଙ୍କ ବାଡିରେ ଜୈବିକ ପାକଶାଳା ପଟାଳି କରିପାରିବେ । ଯାହାଫଳରେ ପିଲା ମାନେ ତଥା ପରିବାର ଜୈବିକ ପନିପରିବା ଖାଇବା ସଙ୍ଗେ ସଙ୍ଗେ ରାସାୟନିକ ବିଷ ପ୍ରଭାବରୁ ମୁକ୍ତ ରହିବେ । ପଟାଳି ବିଭିନ୍ନ ପ୍ରକାରର ହେଇପାରିବ । ତା ଭିତରୁ ଗୋଟିଏ ସହଜ ଉପାୟ ଜାଣିବା

  • ଦୁଇ ହାତ ଓସାର, ଛଅରୁ ଆଠ ହାତ ଲମ୍ବା ( ନିଜ ବାଡିକୁ ଚାହିଁ ଲମ୍ବା ଠିକ କରିବେ ) ଓ ୯ ଇଞ୍ଚ ଗଭୀରର ଗାତଟିଏ ଖୋଳିବା, ଗାତ ଖୋଳିଲାବେଳେ ଉପର ୫ ଇଞ୍ଚ ମାଟି ଅଲଗା ରଖିବେ ଓ ତଳ ୪ ଇଞ୍ଚ ମାଟି ଅଲଗା ରଖିବେ । ଉପରେ ମାଟିରେ କମ୍ପୋଷ୍ଟ ୪ ଝୁଡ଼ି ପାଉଁଶ ଅଧାଖୁଡ଼ି ମିଶାଇ ଭଲ ଭାବରେ ଫେଣ୍ଟି ଦେବେ । ତଳ ମାଟିରେ ୨ ଝୁଡ଼ି କମ୍ପୋଷ୍ଟ ଓ ଅଧାଝୁଡ଼ି ପାଉଁଶ ଭଲ ଭାବରେ ମିଶାଇ ଦେବେ ।
  • ଗାତ ତଳେ ଚାରିଆଡେ ଶାବଳରେ ଟିକେ ଟିକେ ଖୋଳି ହାଲୁକା କରିବେ । ତଳେ କିଛି କମ୍ପୋଷ୍ଟ ବୁଣିଦେବେ । ତା’ ଉପରେ ଶୁଖିଲା ଓ କଞ୍ଚା ଡ଼ାଳପତ୍ର ଭର୍ତ୍ତି କରି ପକାଇବେ । ଅଳ୍ପ ପାଉଁଶ, ହୁଙ୍କା ମାଟି ଗୁଣ୍ଡ ( ଯଦି ମିଳିବ) ଓ କମ୍ପୋଷ୍ଟ ବା ଗୋବରପାଣି ତା’ ଉପରେ ଛିଞ୍ଚି ଦେବେ । ଏସବୁ ଉପରେ ବର୍ତ୍ତମାନ ବାହାରେ ରଖାଯାଇଥିବା ଉପର ମାଟି ଗାତରେ ସମାନ ଭାବରେ ବିଛାଇ ପକାନ୍ତୁ । ତା’ ଉପରେ ତଳ ମାଟିକୁ ସମାନ ଭାବରେ ବିଛାଇ ପକାଇବେ । ପଟାଳିର ଆକାର ଯେମିତି ଠିକ୍ ରହେ ଦେଖିବେ । ଜାଗା ଥିଲେ ଫୁଟେ ଜାଗା ଛାଡ଼ି ପୁଣି ଏକ ପଟାଳି କରିବେ । ନିଜ ସୁବିଧା ଅନୁସାରେ ପଟାଳି ସଂଖ୍ୟା କରିବେ ।
  • ପଟାଳିକୁ ଅଳ୍ପ ପାଣି ଛିଞ୍ଚ ୪/୫ ଦିନ ଛାଡ଼ି ଦିଅନ୍ତୁ । ପାଖରେ ଯଦି ଗୁଣ୍ଡି ପାଳ ବା ଅଗାଡ଼ି ଅଛି, ତା’ ଉପରେ ବିଛାଇ ଦେଲେ ଭଲ ହେବ ।
  • ବର୍ତ୍ତମାନ ପ୍ରତି ପଟାଳିରେ ଅତି କମ୍‌ରେ ୨/୩ ପ୍ରକାରର ପରିବା ମଞ୍ଜି ଲଗାନ୍ତୁ ବା ଚାରା ପୋତନ୍ତୁ । ଉଦାହରଣତଃ ବିନ୍ ଓ ବାଇଗଣ ବା ଲଙ୍କା, ଶାଗ ବା ମୂଳା, ଭେଣ୍ଡି ବା ଗୁଆଁର ଇତ୍ୟାଦି । ଋତୁ ଅନୁଯାୟୀ ପରିବା ବାଛିବା । ଗଛ ମାନଙ୍କ ମଝିରେ ବା ପଟାଳିର ଶେଷ ମୁଣ୍ଡରେ ଅଳ୍ପ ମାଡୁଥିବା କାକୁଡ଼ି ଜାତୀୟ ଗଛ ଲଗାଇ ପାରିବା । ଏହି ଫସଲ ଛିଞ୍ଚା ପାଣିରେ ବଂଚି ପାରିବ ଓ ସିଆରରେ ପାଣି ମଡ଼ାଇଲେ ମଧ୍ୟ ହେବ ।
  • ଥରେ ଏହି ପଟାଳି ତିଆରି କଲେ ୨ ବର୍ଷ ପର୍ଯ୍ୟନ୍ତ ଆଉ କରିବାକୁ ପଡ଼ିବନି । କେବଳ ହାଲୁକାରେ ଉପର ଅଂଶ କୋଡାଖୋସା କରିବେ । ଯେହେତୁ ପଟାଳିର ଓସାର ୨ ହାତରୁ ଅଧିକ ନୁହେଁ, ଦୁଇ ପାଖର ନାଳରେ ବସି ହିଁ କାମ କରିବେ । ଉପରେ ନ ଚାଲିବା ଓ ପାଣି ନ ମଡ଼େଇବା ଯୋଗୁଁ ପଟାଳି ହାଲୁକା ହୋଇ ରହେ । ବାରମ୍ବାର ଫସଲ କରିବାରେ ଅସୁବିଧା ହୁଏନି । ଗୋଟିଏ ଫସଲ ସରିଆସିବାକୁ ବା ମରିବାକୁ ୧୫/୨୦ ଦିନ ଥବ, ତା’ପର ଫସଲର ମଞ୍ଜି ବା ତଳି ମଝି ଜାଗା ମାନଙ୍କରେ ଲଗାଇଦେବେ । ଫଳରେ ଗୋଟିଏ ଫସଲ ପରେ ଜାଗା ଆଉ ଖାଲି ପଡ଼ିବନି । ପ୍ରଥମ ଫସଲ ଓପାଡ଼ିବା ସମୟ ହେଲେ ଗଛକୁ ମୂଳରୁ କାଟି ଦେବେ । ତାକୁ ଛୋଟ କରି କାଟି ପଟାଳିରେ ଘୋଡ଼େଇ ଦିଅନ୍ତୁ ବା ଖତ ତିଆରି କରନ୍ତୁ ବା ଅନ୍ୟ ଏକ ପଟାଳିରେ ଖୋଳି ତଳେ ଦିଅନ୍ତୁ । କୌଣସି ଜିନିଷ ଏଥରେ ନଷ୍ଟ ହେବାର ନାହିଁ ।

କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି ବିଶେଷଜ୍ଞ, କେନ୍ଦ୍ରାପଡା ।

Leave a Reply

Your email address will not be published. Required fields are marked *