ଏପରି ପରିସ୍ଥିତିରେ ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବା କଷ୍ଟକର ହେଉଥିବା ବେଳେ ସେମାନଙ୍କୁ ବିଚାରରେ ଉଚିତ୍ ମୂଲ୍ୟ ମଧ୍ୟ ମିଳି ପାରୁ ନାହିଁ । ବାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରିଲେ ନିଶ୍ଚିତ ଭାବେ ରାଜ୍ୟର ଆର୍ଥିକ ମାନଦଣ୍ଡର ବିକାଶ ହେବା ସହିତ ଖାଉଟିମାନଙ୍କ ଚାହିଦାକୁ ମଧ୍ୟ ସମାଧାନ କରାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ସରକାରୀ ୱେବ୍ସାଇଟ୍ (odihotmarketing.nic.in) ପ୍ରସ୍ତୁତ କରାଯାଇଛି । ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଫଳ, ପନିପରିବା ଆଦିକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରିବାର ବନ୍ଦୋବସ୍ତ ରହିଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ଉଦ୍ୟାନ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ, ଯାହାକି ସଂପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ । ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ, ପନିପରିବା ଆଦି ଉପଲବ୍ଧ ହେଉଛି ତାହାର ତଥ୍ୟ ପାଇପାରିବେ । ଏହା ଦ୍ଵାରା ସେମାନେ ଜିଲ୍ଲାସ୍ତରରେ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ ବୋଲି ଜଣାପଡିଛି । ଏଥିରେ ଉଦ୍ୟାନ କୃଷି ସହିତ ସଂପୃକ୍ତ ୧୫୦୦ରୁ ଅଧିକ ବ୍ୟବସାୟୀଙ୍କ ନାମ ତାଲିକା ୱେବ୍ସାଇଟ୍ରେ ଦିଆଯାଇଛି। ପ୍ରତି ଦିନ ଏହି ୱେବସାଇଟ୍ରେ ଉପଲବ୍ଧ ଫଳ ଓ ପନିପରିବା ତଥ୍ୟ ଅପ୍ଲୋଡ଼ କରାଯିବା ସହ ବ୍ୟବସାୟୀମାନଙ୍କୁ ଉଦ୍ୟାନ ଭିତ୍ତିକ ଦ୍ରବ୍ୟର ସ୍ଥିତି ସଂପର୍କରେ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଜଣାପଡିଛି ।
